ମହାମାରୀ କରୋନା ଭାଇରସ୍ ସହ ଲଢ଼େଇ ପାଇଁ ଭ୍ୟାକ୍ସିନ୍ ହିଁ ଏକମାତ୍ର ଭରସା। ଏଭଳି ସ୍ଥିତିରେ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି ସରକାର। ଭାରତରେ ଏବେ ଦୁଇ ପ୍ରକାରର ଭ୍ୟାକ୍ସିନ୍ କୋଭାକ୍ସିନ୍ ଓ କୋଭିସିଲ୍ଡ ଦିଆଯାଉଛି। ଏହାର ଦୁଇଟି ଲେଖାଏ ଡୋଜ୍ ନେବାକୁ ପଡ଼ୁଛି। ତେବେ ଋଷ ଏଭଳି ଏକ ଭ୍ୟାକ୍ସିନ୍ ବାହାର କରିଛି ଯାହାର ସିଙ୍ଗଲ ଡୋଜ୍ରେ ହିଁ କରୋନାର ମୁକାବିଲା କରି ହେବ। ଏହି ଟିକା ହେଉଛି ସ୍ପୁଟନିକ୍ ଲାଇଟ୍। ଭାରତ ଭଳି ଜନବହୁଳ ଦେଶ ପାଇଁ ଏହା ନିଶ୍ଚିତ ଭାବେ ଆଶ୍ୱସ୍ତିକର ଖବର। ଅନ୍ୟ ଭ୍ୟାକ୍ସିନ୍ର ଦୁଇଟି ଡୋଜ୍ ସହ ସ୍ପୁଟନିକ୍ ଲାଇଟ୍ ର ଗୋଟିଏ ଡୋଜ୍ ପର୍ଯ୍ୟାପ୍ତ ହୋଇଥିବାରୁ ଟିକାକରଣ କ୍ଷେତ୍ରରେ ଏହା ଗେମ୍ଚେଞ୍ଜର ହେବ ବୋଲି କୁହାଯାଉଛି।
ଋଷିଆନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ(RDIF) ଓ ଗମଲେୟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋ ବାୟୋଲୋଜି(GRIEM) ସ୍ପୁଟନିକ୍ ଲାଇଟ୍ ଟିକାକୁ ପ୍ରସ୍ତୁତ କରିଛନ୍ତି। ସ୍ପୁଟନିକ୍-ଭି ଭ୍ୟାକ୍ସିନ୍ର ଉନ୍ନତିକରଣ କରି ଋଷ ସ୍ପୁଟନିକ୍ ଲାଇଟ୍ ଭ୍ୟାକ୍ସିନ୍ ପ୍ରସ୍ତୁତ କରିଛି। ସ୍ପୁଟନିକ-ଭି ଦୁଇଟି ଡୋଜ୍ ନେବା ପରେ କରୋନା ମୁକାବିଲାରେ ୯୦% ପ୍ରଭାବୀ ହୋଇଥିବା ବେଳେ ସ୍ପୁଟନିକ ଲାଇଟ୍ ସିଙ୍ଗଲ ଡୋଜ୍ରେ ହିଁ ପ୍ରାୟ ୮୦% କାମ କରୁଥିବା କୁହାଯାଉଛି। ସ୍ପୁଟନିକ୍ ଲାଇଟ୍ର ଗୋଟିଏ ଡୋଜ୍ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ୯୧. ୭% ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥିବା ପରୀକ୍ଷଣରୁ ଜଣାପଡ଼ିଛି। ଏପର୍ଯ୍ୟନ୍ତ ଏହାର କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ନଜରକୁ ଆସି ନାହିଁ।
ସ୍ପୁଟନିକ୍ ଲାଇଟ୍କୁ ସଂରକ୍ଷଣ କରିବା ପ୍ରକ୍ରିୟା ମଧ୍ୟ ସହଜ। ୨ରୁ ୮ ଡିଗ୍ରୀ ସେଲ୍ସିୟସ ତାପମାତ୍ରା ଭିତରେ ଏହାକୁ ରଖି ହେବ। ଏହାର ଦାମ୍ ୧୦ ଆମେରିକୀୟ ଡଲାରରୁ କମ୍ ରହିଛି। ଋଷ ଭାରତକୁ ସ୍ପୁଟନିକ୍-ଭି ର ୨୫ କୋଟି ଡୋଜ୍ ଦେବା ପାଇଁ ପ୍ରତିଶ୍ରୁତି ଦେଇଛି। ଏହାଛଡ଼ା ସ୍ପୁଟନିକ-ଭି ର ୮୫ କୋଟି ଡୋଜ୍ ଭାରତୀୟ କମ୍ପାନୀ ପ୍ରସ୍ତୁତ କରିବା ପାଇଁ ଋଷ ଲାଇସେନ୍ସ ମଧ୍ୟ ଦେଇଛି। ସ୍ପୁଟନିକ୍ ଲାଇଟ୍ ଭ୍ୟାକ୍ସିନ୍ ଋଷ ଛଡ଼ା ଭାରତ, ଦକ୍ଷିଣ କୋରିଆ ଏବଂ ଚୀନ୍ରେ ପ୍ରସ୍ତୁତ କରାଯିବ। ଏଥିପାଇଁ ଋଷ ଅନୁମତି ପ୍ରଦାନ କରିଥିବା ବିଭିନ୍ନ ଦେଶର କମ୍ପାନୀଙ୍କ ସହାୟତା ମଧ୍ୟ ନିଆଯିବ।
ଜନ୍ସନ୍ ଆଣ୍ଡ ଜନ୍ସନ୍ର ସିଙ୍ଗଲ ଡୋଜ୍ ଭ୍ୟାକ୍ସିନ୍କୁ ଆମେରିକା ଫେବୃଆରୀରୁ ଅନୁମତି ଦେଇ ସାରିଛି। ମାତ୍ର ଭାରତରେ ଏହା ଉପଲ୍ଲବ୍ଧ ହୋଇ ନାହିଁ। ତେବେ ଭାରତ ସମେତ ବିଶ୍ୱର ୬୦ଟି ଦେଶ ସ୍ପୁଟନିକ-ଭି ଟିକା ବ୍ୟବହାର ପାଇଁ ମଞ୍ଜୁରୀ ଦେଇ ସାରିଛନ୍ତି। ସାରା ବିଶ୍ୱରେ ଏଯାଏ ୨ କୋଟିରୁ ଅଧିକ ଲୋକଙ୍କୁ ସ୍ପୁଟନିକ୍-ଭି ଭ୍ୟାକ୍ସିନ୍ ମଧ୍ୟ ଦିଆ ସରିଲାଣି। ଏଭଳି ସ୍ଥିତିରେ ସ୍ପୁଟନିକ୍ ଲାଇଟ୍ ମଧ୍ୟ ଭାରତ ଆସିବା ରାସ୍ତା ସଫା ହୋଇଛି।’
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ